- SCHOOL BOARDS
- BSE/CHSE ODISHA
- CLASS 10
- LIFE SCIENCE
- ପ୍ରଥମ ଅଧ୍ୟାୟ : ପୋଷଣ (Nutrition)
- Poshana ପୋଷଣ ( Nutrition) Class 10 Life Science Chapter 1 Notes
Poshana ପୋଷଣ ( Nutrition) Class 10 Life Science Chapter 1 Notes
Language : Odia
Chapter 1 - ପୋଷଣ (Nutrition) Notes
ପୋଷକ : ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ କେତେକ ରାସାୟନିକ ପଦାର୍ଥ ଥାଏ | ତାହାକୁ ପୋଷକ କୁହାଯାଏ |
ପୋଷଣ : ଖାଦ୍ୟରେ ଥିବା ପୋଷକ ପଦାର୍ଥ ଗୁଡିକୁ ଗ୍ରହଣ କରିବାକୁ ପୋଷଣ କୁହାଯାଏ |
ଶରୀର ମଧ୍ୟରେ ଅସଂଖ୍ୟ ଜୈବରାସାୟନିକ ପ୍ରକ୍ରିୟା ଦେଖାଯାଏ ଯେପରିକି : ଶ୍ଵସନ , ରେଚନ , ଜନନ |
ଶ୍ଵସନ : ଖାଦ୍ୟ ପଦାର୍ଥର ଜାରଣ ଘଟି ଶକ୍ତି ନିର୍ଗତ ହେବା ପ୍ରକ୍ରିୟା
ରେଚନ : ବର୍ଜ୍ୟବସ୍ତୁ ନିଷ୍କାସନ
ଜନନ : ବଂଶବୃଦ୍ଧି କରିବା ପ୍ରକ୍ରିୟା
ଏହାଛଡା କୋଷ, ଟିସୁ ତଥା ଅଙ୍ଗପ୍ରତ୍ୟଙ୍ଗର ଗଠନ ପାଇଁ ମଧ୍ୟ ବିଭିନ୍ନ ଉପାଦାନର ଆବଶ୍ୟକତା ରହିଥାଏ |
ଏହି ସମସ୍ତ ପ୍ରକ୍ରିୟା ପାଇଁ ଶକ୍ତିର ଆବଶ୍ୟକତା ରହିଛି ଯାହାକି ଆମେ ଖାଦ୍ୟରୁ ପାଇଥାଉ |
ସବୁଜ ଉଦ୍ଭିଦ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି ଆଲୋକଶ୍ଲେଷଣ ପ୍ରକ୍ରିୟା ଦ୍ଵାରା |
ପ୍ରାଣୀ ଓ ଅନ୍ୟସବୁ ଜୀବମାନେ ଖାଦ୍ୟ ପାଇଁ ଉଦ୍ଭିଦ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିର୍ଭର ଶୀଳ |
ଉଦ୍ଭିଦ ମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରୁଥିବାରୁ ସେମାନଙ୍କୁ ସ୍ଵଭୋଜି କୁହାଯାଏ |
ଅନ୍ୟ ପ୍ରାଣୀମାନେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରନ୍ତି ତେଣୁ ସେମାନଙ୍କୁ ପରଭୋଜୀ ପ୍ରାଣୀ କୁହାଯାଏ |
ଆମେ ଗ୍ରହଣ କରୁଥିବା ଖାଦ୍ୟଗୁଡକ ସାଧାରଣତଃ ଜଟିଳ ଅବସ୍ଥାରେ ରହିଥାନ୍ତି |
ଆମ ଶରୀର ମଧ୍ୟରେ ଜଟିଳ ଖାଦ୍ୟର ଦହନ ବା ଜାରଣ ଘଟି ସେଥିରୁ ଶକ୍ତି ମୋଚିତ ହୋଇଥାଏ | ଏହି ପ୍ରକ୍ରିୟାକୁ “ଅପଚୟ” ବୋଲି କୁହାଯାଏ |
ଖାଦ୍ୟରୁ ଶରୀର ଗଠନ ପାଇଁ ଆବଶ୍ୟକ ଉପାଦାନ ସୃଷ୍ଟି ହେଉଥିବା ପ୍ରକ୍ରିୟାକୁ “ଚୟ” ବୋଲି କୁହାଯାଏ |
ଅପଚୟ ପ୍ରକ୍ରିୟାକୁ ଧ୍ଵଂସାତ୍ମକ ପ୍ରକ୍ରିୟା ଏବଂ ଚୟ ପ୍ରକ୍ରିୟାକୁ ଗଠନ ମୂଳକ ପ୍ରକ୍ରିୟା କୁହାଯାଏ |
ଉଭୟ ଚୟ ଏବଂ ଅପଚୟର ସମାହାରରେ ଚୟାପଚୟ ଗଠିତ ହେଉଛି |
ଜୀବକୁ ସକ୍ରିୟ ଏବଂ ଜୀବନ୍ତ ରଖିବାରେ ଚୟାପଚୟ ମୁଖ୍ୟ ଭୂମିକା ଗ୍ରହଣ କରେ |
ଖାଦ୍ୟର ପ୍ରକାର ଭେଦ : -
ଖାଦ୍ୟର ରାସାୟନିକ ଗଠନ, କାର୍ଯ୍ୟ ଓ ଶକ୍ତି ପ୍ରଦାନକାରୀ କ୍ଷମତା ଉପରେ ନିର୍ଭର କରି ଖାଦ୍ୟକୁ ମୁଖତଃ 6 ଭାଗରେ ବିଭକ୍ତ କରାଯାଇଛି |
ସେଗୁଡିକ ହେଉଛି : -
1. ଶ୍ଵେତସାର
2. ପୁଷ୍ଟିସାର
3. ସ୍ନେହସାର
4. ଧାତୁସାର
5. ଭିଟାମିନ୍
6. ଜଳ
1. ଶ୍ଵେତସାର (Carbohydrates):-
· ଶ୍ଵେତସାର ଜାତୀୟ ଖାଦ୍ୟ ଗୁଡିକ ମୁଖତଃ ପାଟିକୁ ମିଠା ଲାଗିଥାଏ |
· ଶର୍କରା ଏବଂ ମଣ୍ଡଦ ଆମେ ଖାଉଥିବା ଶ୍ଵେତସାର ଜାତୀୟ ଖାଦ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଖାଦ୍ୟ |
· ଚିନି ଏବଂ ଗୁଡ ଆଦିରୁ ଶର୍କରା ଏବଂ ଭାତ ,ରୁଟି , ଆଳୁ ଆଦିରୁ ପ୍ରଚୁର ପରିମାଣର ମଣ୍ଡଦ ଜାତୀୟ ଶ୍ଵେତସାର ମିଳିଥାଏ |
· ଅନ୍ୟ ଏକ ଶ୍ଵେତସାର ଜାତୀୟ ଖାଦ୍ୟ ହେଉଛି ଗ୍ଲୁକୋଜ୍ (C6H12O6) ଯାହାକି ଫଳରସ ଏବଂ ପନିପରିବା ଆଦିର ପ୍ରଚୁର ପରିମାଣରେ ମିଳିଥାଏ |
· କୋଷୀୟ ଶ୍ଵସନ ବେଳେ ଗ୍ଲୁକୋଜ୍ ର ଜାରଣ ଘଟି ଅଙ୍ଗାରକାମ୍ଳ ଓ ଜଳ ସୃଷ୍ଟି ହେବା ସହିତ ଶକ୍ତି ମଧ୍ୟ ନିର୍ଗତ ହୋଇଥାଏ |
· ଶ୍ଵେତସାରରୁ ଆମେ ସହଜରେ ଶକ୍ତି ଆହରଣ କରିଥାଉ |
· ଏକ ଗ୍ରାମ ଶ୍ଵେତସାରରୁ ପ୍ରାୟ 16 କିଲୋଜୁଲ୍ ଶକ୍ତି ମିଳିଥାଏ |
2. ପୁଷ୍ଟିସାର:-
· ପୁଷ୍ଟିସାର ଜାତୀୟ ଖାଦ୍ୟ ଆମେ ସାଧାରଣତଃ ଦୁଇ ପ୍ରକାର ଖାଦ୍ୟରୁ ପାଇଥାଉ |
· ଡାଲିଜାତୀୟ ଖାଦ୍ୟ (ଡାଲି, ଶିମ୍ବ , ସୋୟାବିନ, ଇତ୍ୟାଦି )
· ପ୍ରାଣୀଜ ଖାଦ୍ୟ (ମାଛ , ମାଂସ , ଅଣ୍ଡାର ଧଳା ଅଂଶ , ଛେନା ,କ୍ଷୀର )
· ଅଣ୍ଡାର ଧଳା ଅଂଶକୁ ଆଲବୁମିନ୍ (Albumin) କୁହାଯାଏ |
· ଶରୀରର କ୍ଷୟପୁରଣ , ଶରୀର ଗଠନ ଏବଂ ନୂତନ କୋଷ ଓ ତନ୍ତୁ ଗଠନରେ ପୁଷ୍ଟିସାର ଖାଦ୍ୟ ଆବଶ୍ୟକ |
· ଏମିନୋ ଅମ୍ଳର ଶୃଙ୍ଖଳ ଦ୍ଵାରା ପୁଷ୍ଟିସାର ଗଠିତ |
3. ସ୍ନେହସାର : (Fats /Lipids):-
· ମାଂସ , କ୍ଷୀର , ଛେନା , ଲହୁଣୀ , ଅଣ୍ଡାର ହଳଦିଆ ଅଂଶ ଓ ତେଲ , ଘିଆରେ ପ୍ରଚୁର ପରିମାଣରେ ସ୍ନେହସାର ମିଳେ |
· କୋଷ ଝିଲ୍ଲୀ ତିଆରିରେ ପ୍ରମୁଖ ଭୂମିକା ଗ୍ରହଣ କରେ ସ୍ନେହସାର |
· ଶରୀରରେ ଚର୍ମ ତଳେ ଚର୍ବି ଆକାରରେ ସଞ୍ଚିତ ହୋଇ ରହିଥାଏ ଏବଂ ଆବଶ୍ୟକ ସମୟରେ ଜାରଣ ଘଟି ଶରୀରକୁ ଶକ୍ତି ପ୍ରଦାନ କରିଥାନ୍ତି |
· ଚର୍ବି ତାପ କୁପରିବାହୀ |
4. ଧାତୁସାର : (Minerals):-
· ଶରୀର ଗଠନ ନିମନ୍ତେ ବିଭିନ୍ନ ପ୍ରକାରର ଧାତୁସାର ଆବଶ୍ୟକ |
· କେତେକ ଧାତୁସାର ଗୁଡିକର ଉଦାହରଣ ହେଉଛି ଲୌହ , କ୍ୟାଲସିୟମ , ଆୟୋଡିନ , ଫସଫରସ , ସୋଡିୟମ , ପୋଟାସିୟମ୍ ଇତ୍ୟାଦି |
· ଦାନ୍ତ ଏବଂ ହାଡର ଗଠନରେ କ୍ୟାଲସିୟମ୍ ଓ ହିମୋଗ୍ଲୋବିନ୍ ଗଠନ ପାଇଁ ଲୌହ ଆବଶ୍ୟକ |
· ଲୋହିତ ରକ୍ତ କନିକାରେ ହିମୋଗ୍ଲୋବିନ୍ ରହିଥାଏ |
· ଶରୀରର ଆୟନ ସଂତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ |
5. ଭିଟାମିନ୍ (Vitamins):-
· ଭିଟାମିନ୍ ଉପସ୍ଥିତିରେ କୋଷରେ ବିଭିନ୍ନ ପ୍ରକାର ରାସାଯନିକ ପ୍ରକ୍ରିୟା ଏଞ୍ଜାଇମ ସହଯୋଗରେ ହୋଇଥାଏ |
· ଭିଟାମିନ ସାଧାରଣତଃ 2 ପ୍ରକାରର
· ଜଳରେ ଦ୍ରବଣୀୟ (ଶାଗ, ପନିପରିବା ଓ ଫଳ ଇତ୍ୟାଦି)
· ତେଲ ବା ଚର୍ବିରେ ଦ୍ରବଣୀୟ ( ପ୍ରାଣୀଜ ଚର୍ବି ବା ଉଦ୍ଭିଦଜାତ ତେଲ)
6. ଜଳ (Water):-
· କୋଷରେ ଥିବା କୋଷରସ ରେ ପ୍ରାୟ 70 – 90 ଭାଗ ଜଳ ରହିଛି |
· କୋଷର ସ୍ଥିତି ଓ ଏଥିରେ ହେଉଥିବା ବିଭିନ୍ନ ପ୍ରକ୍ରିୟା ପାଇଁ ଜଳ ଅତ୍ୟନ୍ତ ଆବଶ୍ୟକ |
· ଝାଳ , ପରିଶ୍ରା ଓ ନିଃଶ୍ଵାସରେ ଶରୀରରୁ ଜଳ କ୍ଷୟ ହୋଇଥାଏ |
· ଶରୀରରୁ ଜଳ କ୍ଷୟର ଭରଣ ନିମନ୍ତେ ପ୍ରତିଦିନ 3 – 4 ଲିଟର ପାଣି ପିଇବା ଆବଶ୍ୟକ |
ପୋଷଣର ପ୍ରକାର ଭେଦ : -
· ପ୍ରାଣୀମାନଙ୍କର ପୋଷଣ ପ୍ରଣାଳୀକୁ ଦେଖି ସେମାନଙ୍କୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି |
1. ସ୍ଵଭୋଜୀ ପୋଷଣ : -
· ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ସେମାନଙ୍କୁ ସ୍ଵଭୋଜୀ କୁହାଯାଏ | ପତ୍ରହରିତ ଥିବା ସମସ୍ତ ଉଦ୍ଭିଦ ଓ ନୀଳହରିତ ଶୈବାଳ ହେଉଛନ୍ତି ସ୍ଵଭୋଜୀ |
· ଏହି ସମସ୍ତ ଜୀବ ଆଲୋକଶ୍ଲେଷଣ ପ୍ରକ୍ରିୟା ମାଧ୍ୟମରେ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି |
· ନାଇଟ୍ରେଟ ପ୍ରସ୍ତୁତକାରୀ ବ୍ୟାକ୍ଟେରିଆ , ଗନ୍ଧକ ବ୍ୟାକ୍ଟେରିଆ ପରି କେତେକ ରସାୟଶ୍ଲେଷଣ ବ୍ୟାକ୍ଟେରିଆ ଏକ ବିଶେଷ ଅଜୈବ ରାସାୟନିକ ପ୍ରକ୍ରିୟାରୁ ମିଳୁଥିବା ରାସାୟନିକ ଶକ୍ତି ଆହରଣ କରିଥାନ୍ତି | ଏହାକୁ ରସାୟଶ୍ଲେଷଣ କୁହାଯାଏ |
Nitrifying Bacteria
2NH3 + 3O2 → 2HNO2 + 2H2O +Energy
(Amania) (xygen) Nitrous Acid Water
Sulphate Bacteria
2H2S + O2 → 2H2O + 2S + energy
Hydrogen (oxgen) Water Sulphar gas
Sulfide
2. ପରଭୋଜୀ ପୋଷଣ : -
ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରି ନ ପାରି ପୋଷଣ ପାଇଁ ଅନ୍ୟ ପ୍ରାଣୀ ବା ଉଦ୍ଭିଦ ଉପରେ ନିର୍ଭର କରନ୍ତି |
ଉଦାହରଣ : - ସମସ୍ତ ପ୍ରାଣୀ , ମଲାଙ୍ଗ , ନିର୍ମୂଳୀ , କବକ ଏବଂ ଅଧିକାଂଶ ବ୍ୟାକ୍ଟେରିଆ |
ପରଭୋଜୀ ପୋଷଣ ମୁଖ୍ୟତଃ ଚାରି ପ୍ରକାରର |
a. ପ୍ରାଣୀସମ ପୋଷଣ : -
· ପରଜୀବୀୟ ପ୍ରାଣୀଙ୍କୁ ଛାଡି ଅନ୍ୟ ସମସ୍ତ ପ୍ରାଣୀ ଏହି ପ୍ରଣାଳୀରେ ଅନ୍ୟ ଉଦ୍ଭିଦ ବା ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ଅଥବା ଆଂଶିକ ଭାବରେ ଖାଦ୍ୟରୂପେ ଗ୍ରହଣ କରିଥାନ୍ତି |
· ପରିପାକରେ ସରଳୀକୃତ ଖାଦ୍ୟର ଆତ୍ମିକରଣ ବା ଅନ୍ତର୍ଗହଣ ହୋଇଥାଏ ଏବଂ ଶରୀର ଗଠନରେ ଓ ଶରୀରକୁ କାର୍ଯ୍ୟକ୍ଷମ ରଖିବାରେ ସାହାଯ୍ୟ କରିଥାଏ |
b. ମୃତୋପଜୀବୀୟ ପୋଷଣ : -
· ଯେଉଁ ପରଭୋଜୀ , ମୃତ , ଗଳିତ , ପଚାସଢା ଉଦ୍ଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟିସାଧନ କରିଥାନ୍ତି |
· ଏମାନେ ଜଟିଳ ଖାଦ୍ୟକୁ ସିଧାସଳଖ ଗ୍ରହଣ କରିପାରନ୍ତି ନାହିଁ ତେଣୁ ସାଧାରଣତଃ ଖାଦ୍ୟ ଗ୍ରହଣ କରିବା ସମୟରେ ଶରୀରରୁ ପାଚକ ରସ କ୍ଷରଣ କରି ଶରୀର ବାହାରେ ଜଟିଳ ଖାଦ୍ୟକୁ ସରଳ ଖାଦ୍ୟରେ ପରିଣତ କରିନିଅନ୍ତି |
· ଉଦାହରଣ : - ଛତୁ ଜାତୀୟ କବକ , ଇଷ୍ଟ , ବ୍ୟାକ୍ଟେରିଆ ଇତ୍ୟାଦି |
c. ପରଜୀବୀୟ ପୋଷଣ : -
· ଯେଉଁ ଜୀବମାନେ ଅନ୍ୟ ଜୀବନ୍ତ ଉଦ୍ଭିଦ ବା ପ୍ରାଣୀଙ୍କ ଶରୀର ଭିତରେ ବା ବାହାରେ ରହି ସେମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରି ନିଜର ପୁଷ୍ଟିସାଧନ କରନ୍ତି |
· ଏମାନେ ଭୋଜଦାତା (host) ଶରୀରରୁ ସରଳୀକୃତ ଖାଦ୍ୟ ସିଧାସଳଖ ଗ୍ରହଣ କରନ୍ତି |
· ଭୋଜଦାତାର ଆଶ୍ରୟରେ ରହି ପରଜୀବୀମାନେ ସାଧାରଣତଃ ତାହାର ଅନିଷ୍ଟ କରିଥାନ୍ତି |
· ମଲାଙ୍ଗ , ନିର୍ମୂଳୀ , ରାଫ୍ଲେସିଆ ଆଦି ଉଦ୍ଭିଦ ; ପ୍ଳାସମୋଡିୟମ , ଉକୁଣୀ , ଜୋକ , କେତେକ କୃମି ପରି ପ୍ରାଣୀ ପରଜୀବୀ ଅଟନ୍ତି |
· କେତେକ ଭୋଜଦାତାର ଶରୀର ଭିତରେ ଅନ୍ତଃପରଜୀବୀ ଭାବେ ବାସ କରନ୍ତି ଯେପରି ପ୍ଳାସମୋଡିୟମ୍ |
· ଅନ୍ୟ କେତେକ ଭୋଜଦାତାର ଶରୀର ବାହାରେ ବାହ୍ୟ ପରଜୀବୀ ଭାବରେ ବାସକରନ୍ତି ଯେପରିକି – ଉକୁଣୀ |
d. ସହଜୀବୀୟ ପୋଷଣ : -
· ବେଳେବେଳେ ଦୁଇଟି ଭିନ୍ନ ଜାତିର ପ୍ରାଣୀ , ଯେପରିକି ଉଦ୍ଭିଦ ଓ ପ୍ରାଣୀ ବା ଅଣୁଜୀବ ବା ଉଦ୍ଭିଦ ଓ ଅଣୁଜୀବ ଏକାଠି ବାସ କରୁଥିବା ଦେଖାଯାଏ |
· ଏଥିରେ କେହି କାହାରି କ୍ଷତି କରନ୍ତି ନାହିଁ ବରଂ ସେମାନଙ୍କ ଭିତରେ ପୋଷଣର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ |
· ଉଦାହରଣ : - ଆମ ଅନ୍ତନଳୀରେ ସହଜୀବୀଭାବେ ରହୁଥିବା ଇସଚେରିଚିଆ କୋଲାଇ ଆମକୁ ଭିଟାମିନ – b12 (ସାୟନୋକୋବାଲାମିନ) ଯୋଗାଇଥାଏ ଏବଂ ବଦଳରେ ଅନ୍ତନଳୀର ସରଳୀକୃତ ଖାଦ୍ୟ ଗ୍ରହଣ କରିଥାଏ |
· ଯବକ୍ଷାରଜାନ ବିବନ୍ଧନରେ ସହଜୀବୀ ବ୍ୟାକ୍ଟେରିଆର ଅବଦାନ , ସହଜୀବୀତାର ଅନ୍ୟ ଏକ ଉଦାହରଣ |
· ଖାଦ୍ୟାଭାସକୁ ଆଧାର କରି ମୁଖ୍ୟତଃ ତିନି ଜାତିର ପ୍ରାଣୀ ଅଛନ୍ତି | ଯଥା : -
· ଶାକାହାରୀ – ଉଦ୍ଭିଦ ବା ଉଦ୍ଭିଦଜାତ ପଦାର୍ଥ ଭକ୍ଷଣ କରୁଥିବା ପ୍ରାଣୀ |
· ମାଂସାହାରୀ – ଅନ୍ୟ ପ୍ରାଣୀ ବା ପ୍ରାଣୀଜ ପଦାର୍ଥକୁ ଭକ୍ଷଣ କରୁଥିବା ପ୍ରାଣୀ |
· ସର୍ବାହାରୀ – ଖାଦ୍ୟରେ ବାଛ ବିଚାର ନ କରି ଯାହା ଖଦ୍ୟୋପଯୋଗୀ ତାହା ଭକ୍ଷଣ କରୁଥିବା ପ୍ରାଣୀ |
ଆଲୋକଶ୍ଳେଷଣ (Photosynthesis):-
. ଆଲୋକଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ସବୁଜ ଉଦ୍ଭିଦମାନେ ସବୁଜକଣା ବା କ୍ଲୋରୋଫିଲ୍ ମାଧ୍ୟମରେ ଦୃଶ୍ୟମାନ ଆଲୋକ ଶକ୍ତିକୁ ରାସାୟନିକ ଶକ୍ତିରେ ରୂପାନ୍ତରିତ କରିବା ସହିତ ପରିବେଶରୁ ଗ୍ରହଣ କରିଥିବା ଅଙ୍ଗାରକାମ୍ଳ ଓ ଜଳକୁ ଉପଯୋଗ କରି ସରଳ ଶର୍କରା ତିଆରି କରିଥାନ୍ତି |
. ଆଲୋକର ଉପସ୍ଥିତିରେ ଏହି ପ୍ରକ୍ରିୟା ସମ୍ପାଦନ ହେଉଥିବାରୁ ଏହାକୁ ଆଲୋକଶ୍ଳେଷଣ ପ୍ରକ୍ରିୟା କୁହାଯାଏ |
. ଆଲୋକଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ଉଦ୍ଭିଦରେ ପ୍ରସ୍ତୁତ ହେଉଥିବା ଶ୍ଵେତସାର ଜାତୀୟ ଖାଦ୍ୟ ସବୁ ଜୀବଙ୍କ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଖାଦ୍ୟ ଅଟେ |
ଆଧାର ଓ ସଂସ୍ଥା : -
. ସବୁଜ ଉଦ୍ଭିଦରେ ଆଲୋକଶ୍ଳେଷଣ ପାଇଁ ବ୍ୟବହୃତ ଆଧାର ସାଧାରଣତଃ ସବୁଜ ପତ୍ର ଅଟେ |
. ସବୁଜ ପତ୍ରର ପୃଷ୍ଠରେ ଛୋଟ ଛୋଟ ରନ୍ଧ୍ର ଥାଏ ସେଗୁଡିକୁ ସ୍ତୋମ ବା ଷ୍ଟୋମାଟୋ କୁହାଯାଏ | ଯାହା ଦ୍ଵାରା ଉଦ୍ଭିଦ ଏବଂ ପରିବେଶ ମଧ୍ୟରେ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପର ବିନିମୟ ହୋଇଥାଏ |
. ସବୁଜ ପତ୍ରର ଅନ୍ତଃଗଠନ ସବୁଜ ରଙ୍ଗ ଯୁକ୍ତ ପାଲିସେଡ ଓ ସ୍ପଞ୍ଜି ପାରେନକାଇମା ଟିସୁ ଦ୍ଵାରା ହୋଇଥାଏ ଏବଂ ଏମାନଙ୍କ ମଧ୍ୟରେ କ୍ଲୋରୋପ୍ଲାଷ୍ଟ ରହିଛି |
କ୍ଲୋରୋପ୍ଲାଷ୍ଟ ମଧ୍ୟରେ ଥିବା ରସ ଷ୍ଟ୍ରୋମା ମଧ୍ୟରେ ବିଭିନ୍ନ ସନ୍ତୁରକ ବା ଏନଜାଇମ ଓ ପୋଷକ ଥାଏ | ଏହା ମଧ୍ୟରେ ଦ୍ଵିସ୍ତରୀୟ ଝିଲ୍ଲୀ ସଦୃଶ ଥାଇଲାକଏଡର ପରିମାଣ ଅଧିକ |
. କେତେକ ସ୍ଥାନରେ ଛୋଟ ଥାଇଲାକଏଡ ଥାକ ଥାକ ହୋଇ ସଜ୍ଜିତ ହୋଇ ରହିଥାନ୍ତି | ଏଗୁଡ଼ିକୁ ଗ୍ରାନା କୁହାଯାଏ ଏବଂ ଏଗୁଡିକ ପରସ୍ପର ସହ ଲମ୍ବାଳିଆ ଥାଇଲାକଏଡ ଦ୍ଵାରା ସଂଯୋଜିତ ହୋଇଥାନ୍ତି |ସାଧାରଣତଃ କ୍ଲୋରୋପ୍ଲାଷ୍ଟରେ ଥିବା ରସରେ ଗ୍ରାନା ଓ ଥାଇଲାକଏଡ ରହିଥାନ୍ତି |
. ଥାଇଲାକଏଡର ପ୍ରତ୍ୟେକ ଝିଲ୍ଲୀ ସ୍ତରରେ କ୍ଲୋରୋଫିଲ , ପ୍ରୋଟିନ ଓ ଲିପିଡର ବିଭିନ୍ନ ଅଣୁ ସଜେଇ ହୋଇ ରହିଥାନ୍ତି | ଏହିଭଳି ଗଠନଯୁକ୍ତ ଥାଇଲାକଏଡ ଓ କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମା ରସ ‘ଆଲୋକଶ୍ଳେଷଣ ସଂସ୍ଥା’ ସୃଷ୍ଟି କରିଥାନ୍ତି |
ପ୍ରକ୍ରିୟା : -
. ପ୍ରଥମ ସିଦ୍ଧାନ୍ତ – ଫ୍ରେଡରିକ ବ୍ଲାକମ୍ୟାନ 1905 ମସିହାରେ ପ୍ରକ୍ରିୟାତ୍ମକ ପରୀକ୍ଷା ଦ୍ଵାରା ଦର୍ଶାଇ ଥିଲେ ଯେ ଆଲୋକଶ୍ଲେଷଣ ଦୁଇ ସହ ପ୍ରକ୍ରିୟା ଦ୍ଵାରା ସମାହିତ ହୁଏ | ଯଥା : -
ଆଲୋକ ପ୍ରକ୍ରିୟା : - ଆଲୋକ ଉପରେ ନିର୍ଭର ଥିବାରୁ
ଅନ୍ଧକାର ପ୍ରକ୍ରିୟା : - ଆଲୋକ ଉପରେ ନିର୍ଭର କରୁନଥିବାରୁ
. ଦ୍ଵିତୀୟ ସିଦ୍ଧାନ୍ତ – ଆଲୋକଶ୍ଲେଷଣର ଜୈବ ରାସାୟନିକ କ୍ରିୟା ପରିକ୍ଷଣରୁ 1931 ମସିହାରେ ଫନଲୀନଙ୍କ ଦ୍ଵାରା ପରିକଳ୍ପନା କରାଯାଇଥିଲା |
. ଏଥିରେ ଦର୍ଶାଯାଇଥିଲା କି ଅଙ୍ଗାରକାମ୍ଳ ଓ ଜଳର ରାସାଯନିକ କ୍ରିୟାରେ ଜଳରୁ ଆସୁଥିବା ହାଇଡ୍ରୋଜେନ ଦ୍ଵାରା ଅଙ୍ଗାରକାମ୍ଳ ବିଜାରିତ ହୁଏ ଓ ସରଳ ଶର୍କରା ସଂଶ୍ଲେଷିତ ହେବା ସହିତ ଅମ୍ଳଜାନ ନିର୍ଗତ ହୋଇଥାଏ |
. 1937 ରବର୍ଟ ହିଲ୍ , ଫନ୍ ନୀଲ୍ ଙ୍କ ପରିକଳ୍ପନାଟିକୁ ପରୀକ୍ଷଣ ମାଧ୍ୟମରେ ପରିକଳ୍ପନାଟିକୁ ପ୍ରମାଣିତ କରିଥିଲେ |
କ୍ଲୋରୋପ୍ଲାଷ୍ଟ କ୍ଲୋରୋଫିଲ ମାଧ୍ୟମରେ ଆଲୋକ ଶକ୍ତିକୁ ବ୍ୟବହାର କରି ଗ୍ଲୁକୋଜ ପ୍ରସ୍ତୁତ କରିଥାଏ | ଏହା ପାଇଁ 6 ଟି ଅଙ୍ଗାରକାମ୍ଳ ଓ 12 ଟି ଜଳ ଅଣୁ ବ୍ଯବହୃତ ହୁଏ |
ଆଲୋକ ପ୍ରକ୍ରିୟା : -
· ଆଲୋକର ଉପସ୍ଥିତିରେ ଥାଇଲାକଏଡ୍ ଝିଲ୍ଲୀ ରେ ଆଲୋକ ପ୍ରକ୍ରିୟା ସଂଗଠିତ ହୋଇଥାଏ |
· ପ୍ରକ୍ରିୟାଟିକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି |
· ପ୍ରଥମେ ଝିଲ୍ଲୀରେ ଥିବା କ୍ଲୋରୋଫିଲ ଅଣୁଗୁଡିକର ସମଷ୍ଟି ଆଲୋକ ଶକ୍ତିକୁ ଗ୍ରହଣ କରି ଆଲୋକ ପ୍ରତିକ୍ରିୟା କେନ୍ଦ୍ରରେ ପହଞ୍ଚେ | ତାହାକୁ P700 ବା Photosystem I ର କେନ୍ଦ୍ର କୁହାଯାଏ |
· କ୍ଲୋରୋଫିଲଟି ଉଦ୍ଦୀପିତ ହେବା ଦ୍ଵାରା ଅଧିକ ଶକ୍ତି ସମ୍ପନ ଅସ୍ଥିର ଇଲେକଟନ (e –) ବାହାରି ଆସେ ଏବଂ ଗ୍ରାହକ ଅଣୁ ପାଖରେ ପହଞ୍ଚେ | ସେହି ଶେଷ ଗ୍ରାହକ ଅନୁକୁ ସହକାରକ କୁହାଯାଏ |
· ଏହା ଫଳରେ କ୍ଲୋରୋଫିଲଟି ଜାରିତ ଅବସ୍ଥାକୁ ଚାଲିଯାଏ ଏବଂ ଏହାକୁ ଜାରିତ ନିକୋଟିନା ମାଇଡ୍ ଏଡେନାଇନ୍ ଡାଇନ୍ୟୁକ୍ଲିଓଟାଇଡ୍ ଫସଫେଟ୍ ବା NADP + ରେ ନାମିତ ହୁଏ ଏବଂ ପରେ ଏହା ଇଲେକ୍ଟ୍ରନ (e–) ଗ୍ରହଣ କରି ବିଜାରିତ NADPH ରେ ପରିଣତ ହୁଏ |
· ଏହା ପରେ ଦ୍ଵିତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଥାଏ |
· ପ୍ରଥମ ଆଲୋକ ପ୍ରତିକ୍ରିୟା କେନ୍ଦ୍ରରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଏକ ଇଲେକ୍ଟ୍ରନ ଶୂନ୍ୟତାକୁ ପୂରଣ କରିବା ପାଇଁ ଅନ୍ୟ ଏକ ଆଲୋକ ପ୍ରତିକ୍ରିୟା କେନ୍ଦ୍ର P680 ବା photo system - IIର କେନ୍ଦ୍ରରୁ ଇଲେକ୍ଟ୍ରନ ଆସିଥାଏ | ଏହା ଉଦ୍ଦୀପିତ ହୋଇଥିବାରୁ ଏହା ସମ୍ଭବ ହୋଇଥାଏ |
· ଏହା ଦ୍ଵାରା ଥାଇଲାକଏଡ୍ ରେ ଜଳ ଅଣୁର ଆଲୋକ ବିଶ୍ଳେଷଣ ଘଟି ଇଲେକ୍ଟ୍ରନ (e–), ପ୍ରୋଟନ୍ (H+ ) ଓ ଅମ୍ଳଜାନ (O2 ) ନିର୍ଗତ ହୁଏ |
· ଥାଇଲାକଏଡ୍ ରେ ଇଲେକ୍ଟ୍ରନ ଚଳନ ଦ୍ଵାରା ଲ୍ୟୁମେନ୍ ରେ ଅଧିକ ପ୍ରୋଟନ ଜମା ହୁଏ ଯାହା ଦ୍ଵାରା ଏକ ଅବକ୍ରମ ବା ବଳ ସୃଷ୍ଟି ହୁଏ ଏବଂ ସେହି ବଳକୁ
ଉପଯୋଗ କରି ଏଡିନୋସିନ ଡାଇଫସଫେଟ୍ ବା ADP , ATP ରେ ପରିଣତ ହୁଏ |
· ଆଲୋକ ପ୍ରକ୍ରିୟାରେ ଆଲୋକ ଶକ୍ତି ଦ୍ଵାରା କ୍ଲୋରଫିଲ୍ ରେ ଜଳ ଆଲୋକଶ୍ଲେଷଣ ଘଟି NADPH ଓ ATP ଗଠିତ ହେବ ସହିତ ଅମ୍ଳଜାନ ମୁକ୍ତ ହୁଏ ଏବଂ ଉଭୟ NADPH ଓ ATP ମିଶି ଆଲୋକଶ୍ଲେଷଣ ଶକ୍ତି ଗଠନ କରନ୍ତି |
ଅନ୍ଧକାର ପ୍ରକ୍ରିୟା : -
· ଆଲୋକ ଉପରେ ନିର୍ଭର କରିନଥାଏ |
· ଷ୍ଟ୍ରୋମା ରସରେ ସ୍ତୋମ୍ ମାଧ୍ୟମରେ ବିସରିତ ହୋଇଥିବା ଅଙ୍ଗାରକାମ୍ଳ ଦ୍ରବୀଭୂତ ହୋଇ ରହିଥାଏ |
· ଷ୍ଟ୍ରୋମା ରସରେ ଥିବା 5- କାର୍ବନଯୁକ୍ତ ଏକ ଗ୍ରାହକ ଅଣୁ ଦ୍ଵାରା (ରାଇବୋଲୋଜ୍ ବିସଫସଫେଟ୍ / RuBP) ATP ଓ NADPH କୁ ଉପଯୋଗ କରି
ଦ୍ରବୀଭୂତ ଅଙ୍ଗାରକାମ୍ଳକୁ ଏଞ୍ଜାଇମ ମାଧ୍ୟମରେ (ରାଇବୋଲୋଜ୍ ବିସଫସଫେଟ୍ କାର୍ବୋଅକ୍ସିନେଜ୍ / ରୁବିସ୍କୋ ) ନିଜ ସହିତ ବିବନ୍ଧିତ କରାଏ |
· ଏଞ୍ଜାଇମ ଗୁଡିକ ମଧ୍ୟରୁ ରୁବିସ୍କୋର ଭୂମିକା ଗୁରୁତ୍ଵପୂର୍ଣ୍ଣ |
· ଏଞ୍ଜାଇମ୍ ATP ବ୍ୟବହାର କରି Co2 କୁ ଜୈବ ପଦାର୍ଥରେ ବିବନ୍ଧିତ କରିବାରେ ସାହାଯ୍ୟ କରେ |
· ଆଲୋକ ପ୍ରକ୍ରିୟାର କିଛି ସମୟ ପରେ ଅନ୍ଧକାର ପ୍ରକ୍ରିୟା ଆରମ୍ଭ ହୁଏ ଓ ଆଲୋକ ପ୍ରକ୍ରିୟା ସହ ଚାଲିଥାଏ |
· 3 - କାର୍ବନଯୁକ୍ତ ଶର୍କରା ଅନୁଗୁଡିକ ଚକ୍ରାକାରରେ ବିଭିନ୍ନ ଜୈବ ରାସାୟନିକ କ୍ରିୟା ମାଧ୍ୟମରେ ପରିଚାଳିତ ହୋଇ ଏକ 6- କାର୍ବନଯୁକ୍ତ ଗ୍ଲୁକୋଜ୍ ଅଣୁ ସଂଶ୍ଳେଷଣ କରିବା ସହିତ 5- କାର୍ବନଯୁକ୍ତ ରାଇବୋଲୋଜ୍ ବିସଫସଫେଟ୍ ଗ୍ରାହକ ଅଣୁକୁ ପୁନର୍ବାର ସୃଷ୍ଟି କରିଥାଏ |
· ଏହି ପ୍ରକ୍ରିୟାକୁ ମେଲଭିନ୍ କେଲଭିନ୍ ଆବିଷ୍କାର କରିଥିବାରୁ ଏହି ଚକ୍ରକୁ କେଲଭିନ୍ ଚକ୍ର କୁହାଯାଏ |
ମଣିଷର ପାକତନ୍ତ୍ର :-
· ଖାଦ୍ୟ ପ୍ରଥମେ ଆମର ପାକତନ୍ତ୍ର ଦ୍ଵାରା ସରଳୀକୃତ ହୋଇ ଶୋଷଣ ଉପଯୋଗୀ ଖାଦ୍ୟରେ ପରିଣତ ହୁଏ ଓ ଶେଷରେ ରକ୍ତରେ ମିଶିଥାଏ | ଏହାକୁ ହଜମ ବା ଜୀର୍ଣ୍ଣ ହେବା କହିଥାଉ |
· ଅଦରକାରୀ ଅଂଶ ମଳ ରୂପେ ଶରୀରରୁ ନିଷ୍କାସିତ ହୋଇଥାଏ |
· ଆମର ପାକତନ୍ତ୍ର ପାକନଳୀ ଓ ପାକଗ୍ରନ୍ଥିକୁ ନେଇ ଗଠିତ |
ପାକନଳୀ :-
· ପାକନଳୀ ପାଟିରୁ ଆରମ୍ଭ ହୋଇ ମଳଦ୍ଵାରରେ ଶେଷ ହୋଇଛି |
· ଗଠନ ଓ କାର୍ଯ୍ୟ ଅନୁସାରେ ଏହାକୁ ବିଭିନ୍ନ ଅଂଶରେ ଭାଗ କରାଯାଉଛି | ଯଥା : - ପାଟି , ମୁଖଗହ୍ଵର , ଗ୍ରସନୀ , ଗ୍ରାସନଳୀ , ପାକସ୍ଥଳୀ , କ୍ଷୁଦ୍ରାନ୍ତ୍ର , ବୃହଦନ୍ତ୍ର , ମଳାଶୟ ଓ ମଳଦ୍ଵାର |
· ପାକନଳୀ ଦେଖିବାକୁ ଗୋଟିଏ ଲମ୍ବ ଟ୍ୟୁବ ପରି ଏବଂ ଏହାର କାନ୍ଥ ଚକ୍ରାକୃତି ପେଶୀ ଓ ଲମ୍ବ ଭାବରେ ବିସ୍ତୃତ ବା ଅନୁଦୈର୍ଘ୍ୟ ପେଶୀ ଦ୍ଵାରା ଗଠିତ |
· ଏହି ଦୁଇ ପ୍ରକାର ପେଶୀର ସଂକୋଚନ ଓ ଶିଥିଳନ ଫଳରେ ଖାଦ୍ୟ ଗ୍ରସନିରୁ ମଳଦ୍ଵାର ପର୍ଯ୍ୟନ୍ତ ଯାଇଥାଏ | ପାକଣାଳୀର ଏହି ଚଳନକୁ ପୁରଃସରଣ ବା ପେରିଷ୍ଟାଲସିସ୍ କୁହାଯାଏ |
ପାଟି ଓ ମୁଖଗହ୍ଵର:-
· ପାଟିକୁ ଘେରି ରହିଛି ଉପର ଓ ତଳ ଓଠ | ପାଟି ଭିତରକୁ ମୁଖଗହ୍ଵର ରହିଛି |
· ମୁଖଗହ୍ଵର ଦୁଇ ପଟରେ ରହିଛି ଗାଲ, ତଳେ ଜିଭ , ଉପର ଅଂଶରେ ତାଳୁ ଓ ଦୁଇ ମାଢିରେ ଦାନ୍ତ |
ଦାନ୍ତ:-
· ମନୁଷ୍ୟର ଜୀବନକାଳ ମଧ୍ୟରେ ଦୁଇଥର ଦାନ୍ତ ଉଠେ |
· ଶିଶୁ ଅବସ୍ଥାରେ କ୍ଷୀରଦାନ୍ତ ଉଠେ ଏବଂ ଶିଶୁର ଛଅ ବର୍ଷ ବେଳକୁ ସେହି ଦାନ୍ତ ଝଡିପଡ଼େ ଏବଂ ସେହି ସ୍ଥାନରେ ସ୍ଥାୟୀ ଦାନ୍ତ ଉଠେ |· ଜଣେ ବୟସ୍କ ବ୍ୟକ୍ତିଙ୍କର ତଳ ଓ ଉପର ମାଢିରେ 4 ଟି କର୍ତ୍ତନ ଦାନ୍ତ, 2 ଟି ଛେଦକ ବା ଶ୍ଵାନ ଦାନ୍ତ, 4 ଟି ଚର୍ବଣ ଦାନ୍ତ ଓ 6 ଟି ପେଷଣ ଦାନ୍ତ ରହିଛି |
ଜିଭ : -
· ଖଟା , ମିଠା , ପିତା ଓ ଲୁଣିଆ ସ୍ଵାଦ ବାରିବା ପାଇଁ ଜିଭରେ ତିନିପ୍ରକାରର ସ୍ଵାଦମୁକୁଳ ରହିଛି |
· ଖାଦ୍ୟକୁ ଦାନ୍ତ ନିକଟରେ ପହଞ୍ଚାଇବା ସହିତ କଥା କହିବାରେ ମଧ୍ୟ ଜିଭ ସହାୟତା କରେ |
ଗ୍ରସନୀ ଓ ଗ୍ରାସନଳୀ : -
· ନାସାପଥ ଓ ମୁଖଗହ୍ଵର ମିଶି ଗ୍ରସନୀ ତିଆରି ହୋଇଛି | ଏହା ଉଭୟ ଖାଦ୍ୟ ଓ ଶ୍ଵାସ ବାୟୁ ଯିବା ପାଇଁ ଏକ ସାଧାରଣ ପଥ |
· ଏହାର ଶେଷମୁଣ୍ଡରେ ଗୋଟିଏ ଦ୍ଵାର ଶ୍ଵାସନଳୀ ଭିତରକୁ ଏବଂ ଅନ୍ୟଟି ଖାଦ୍ୟନଳୀ ମଧ୍ୟକୁ ଖୋଲିଛି |
· ଖାଦ୍ୟନଳୀ ଦ୍ଵାରକୁ ଗଲେଟ ଏବଂ ଶ୍ଵାସନଳୀର ଦ୍ଵାରକୁ ଗ୍ଲଟିସ୍ କୁହାଯାଏ |
· ଶ୍ଵାସନଳୀର ଦ୍ଵାରରେ ରହିଛି ଏକ ତରୁଣା ସ୍ଥିତ ପ୍ଳେଟ ଯାହାକୁ ଅଧିଜିହ୍ଵା ବା ଏପିଗ୍ଲଟିସ୍ କୁହାଯାଏ | ଖାଦ୍ୟ ଗିଳିବା ସମୟରେ ଏହା ଶ୍ଵାସନଳୀର ଦ୍ଵାର ବନ୍ଦ ରଖେ |
ପାକସ୍ଥଳୀ : -
· ଉଦର ଗହ୍ଵରର ବାମପଟେ ପାକସ୍ଥଳୀ ରହିଛି | ଏହାର ଉପରଭାଗ ଚଉଡ଼ା ଓ ତଳ ଅଂଶ କମ୍ ଓସାରିଆ |· ଉପର ଅଂଶ ହୃତପିଣ୍ଡ ନିକଟରେ ଥିବାରୁ ଏହାକୁ କାର୍ଡିଆକ୍ ଷ୍ଟୋମାକ୍ ଓ ତଳଭାଗକୁ ପାଇଲୋରିକ ଷ୍ଟୋମାକ୍ କୁହାଯାଏ , ଏବଂ ଏହାର ଶେଷରେ ମୁଦ୍ରିକା ଆକାରର ମାଂସପେଶୀକୁ ପାଇଲୋରିକ୍ ସ୍ପିନଟର୍ କୁହାଯାଏ |
· ଏହାର ସଂକୋଚନ ଓ ଉନ୍ମୋଚନ ଫଳରେ ପାକସ୍ଥଳୀରୁ ଅର୍ନ୍ଧଜୀର୍ଣ୍ଣ ଖାଦ୍ୟ ଅଳ୍ପ ଅଳ୍ପ ପରିମାଣରେ କ୍ଷୁଦ୍ରାନ୍ତ୍ର ମଧ୍ୟକୁ ପ୍ରବେଶ କରେ |
କ୍ଷୁଦ୍ରାନ୍ତ୍ର ଓ ବୃହଦନ୍ତ୍ର : -
· କ୍ଷୁଦ୍ରାନ୍ତ୍ର ପାକସ୍ଥଳୀ ଠାରୁ ବୃହଦନ୍ତ୍ର ପର୍ଯ୍ୟନ୍ତ ଲମ୍ବିଛି | ଏହା ଗ୍ରହଣୀ , ଜେଜୁନମ୍ ଓ ଇଲିଅମ୍ କୁ ନେଇ ଗଠିତ |
· ବୃହଦନ୍ତ୍ର ଖାଦ୍ୟନଳୀର ଶେଷ ଅଂଶ ଏବଂ ତିନିଭାଗରେ ବିଭକ୍ତ | ଯଥା : - ସିକମ୍ , କୋଲନ୍ ଓ ମଳାଶୟ
· ଇଲିଅମ୍ ଏବଂ ସିକମ୍ ସଂଯୋଗ ସ୍ଥଳରେ ଭରମିଫର୍ମ ଆପେନଡିକ୍ସ ରହିଛି | ଏହା ଏକ ଅବଶେଷାଙ୍ଗ |
ପାକଗ୍ରନ୍ଥି : -
· ଖାଦ୍ୟକୁ ସରଳୀକୃତ କରିବା ପାଇଁ ପାକନଳୀ ମଧ୍ୟରେ ଅନେକ ଗୁଡିଏ ପାକଗ୍ରନ୍ଥି ଅଛି | ଯଥା :
1. ଲାଳଗ୍ରନ୍ଥି -
· ମୁଖଗହ୍ୱରରେ ତିନିଯୋଡ଼ା ଲାଳଗ୍ରନ୍ଥି ରହିଛି | ଏଥିରୁ କ୍ଷରିତ ଲାଳରେ ଟାୟାଲିନ ନାମକ ଏନଜାଇମ ରହିଛି ଏବଂ ଶ୍ଵେତସାର ଜାତୀୟ ଖାଦ୍ୟକୁ ହଜମ କରାଏ |
2. ଜଠର ଗ୍ରନ୍ଥି –
· ପାଚକ ରସ କ୍ଷରିତ ହୋଇଥାଏ ଏହି ଗ୍ରନ୍ଥିରୁ ଏବଂ କ୍ଷରିତ ରସରେ ଲବଣାମ୍ଲ ସହିତ ପେପସିନ୍ ଓ ଲାଇପେଜ୍ ଏନଜାଇମ୍ ରହିଛି |
3. ଯକୃତ –
· ଯକୃତ ମନୁଷ୍ୟ ଶରୀରରେ ସର୍ବବୃହତ ଗ୍ରନ୍ଥି |
· ଏଥିରେ ପିତ୍ତରସ କ୍ଷରିତ ହୋଇଥାଏ ଏବଂ ନଳୀ ଦ୍ଵାରା ଗ୍ରହଣୀ ମଧ୍ୟକୁ ପ୍ରବେଶ କରିଥାଏ |
4. ଅଗ୍ନ୍ୟାଶୟ : -
· ଏଥିରୁ ଉଭୟ ଏନଜାଇମ ଓ ହରମୋନ କ୍ଷରିତ ହେଉଥିବାରୁ ଏହାକୁ ଏକ ମିଶ୍ରିତ ଗ୍ରନ୍ଥି ମଧ୍ୟ କୁହାଯାଏ |
· ଅଗ୍ନ୍ୟାଶୟ ରସରେ ଆମାଇଲେଜ୍ , ଲାଇପେଜ୍ ଏବଂ ପ୍ରୋଟିଏଜ୍ ପରି ଖାଦ୍ୟ ହଜମକାରୀ ଏନଜାଇମ୍ ରହିଛନ୍ତି |
5. ଆନ୍ତ୍ରିକ ଗ୍ରନ୍ଥି : -
· ଏହା କ୍ଷୁଦ୍ରାନ୍ତ୍ରରେ ଅବସ୍ଥିତ ଏବଂ ଏଥିରୁ ଆନ୍ତ୍ରିକ ରସ କ୍ଷରିତ ହୁଏ | ଏହି ରସରେ ଥିବା ବିଭିନ୍ନ ପ୍ରକାରର ଏନଜାଇମ୍ ହଜମ କ୍ରିୟା ଶେଷ କରନ୍ତି |
ପାଚନ କ୍ରିୟା : -
· ଶ୍ଵେତସାର , ସ୍ନେହସାର ଓ ପୁଷ୍ଟିସାର ଆଦି ଜଟିଳ ଖାଦ୍ୟ ହୋଇଥିବାରୁ ଏଗୁଡିକ କୋଷଝିଲ୍ଲୀ ଦେଇ କୋଷ ଭିତରକୁ ପଶି ପାରନ୍ତି ନାହିଁ |
· ଜଟିଳ ଖାଦ୍ୟ ଗୁଡିକ ବିଭିନ୍ନ ପରିପାକ ଏନଜାଇମ୍ ସହିତ ମିଶି ଆତ୍ମିକରଣ ଯୋଗ୍ୟ ସରଳୀକୃତ ଖାଦ୍ୟରେ ପରିଣତ ହୁଅନ୍ତି |
· ଖାଦ୍ୟ ହଜମ ହେବାର ବିଭିନ୍ନ ପ୍ରକ୍ରିୟା ଗୁଡିକ ହେଲା : -
1. ଖାଦ୍ୟଗ୍ରହଣ ଓ ପାକକ୍ରିୟା
2. ଅବଶୋଷଣ
3. ଆତ୍ମିକରଣ
4. ମଳତ୍ୟାଗ
1. ଖାଦ୍ୟଗ୍ରହଣ ଓ ପାକକ୍ରିୟା
· ଆହାର ନଳୀର ବିଭିନ୍ନ ଅଂଶରେ ହେଉଥିବା ପାଚନକ୍ରିୟା ବିଭିନ୍ନ ପ୍ରକ୍ରିୟା ଦ୍ଵାରା ସମ୍ପାଦନ ହୋଇଥାଏ |
a. ମୁଖଗହ୍ଵର : -
. ଆମେ ଖାଉଥିବା ଖାଦ୍ୟକୁ ପ୍ରଥମେ ଦାନ୍ତ ଭଲଭାବେ ଛୋଟ ଛୋଟ ଖଣ୍ଡରେ ପରିଣତ କରେ | ଏହି ସମୟରେ ଲାଳରେ ଥିବା ଟାୟାଲିନ ଏନଜାଇମ କେବଳ ଶ୍ଵେତସାର ଖାଦ୍ୟକୁ ମାଲଟୋଜରେ ପରିଣତ କରେ ଏବଂ ଖାଦ୍ୟରେ ଥିବା ଅନିଷ୍ଟକାରୀ ବୀଜାଣୁମାନଙ୍କୁ ଲାଳରେ ଥିବା ବ୍ୟାକ୍ଟ୍ରିସିଡ଼ାଲ୍ ଏନଜାଇମ ନଷ୍ଟ କରନ୍ତି ।
b. ଗ୍ରାସନଳୀ :-
· ଖାଦ୍ୟ ଗଲେଟ ବାଟ ଦେଇ ଗ୍ରାସନଳୀରେ ପ୍ରବେଶ କରେ |
· ଏଠାରେ କୌଣସି ପ୍ରକାର ଖାଦ୍ୟର ହଜମହୁଏ ନାହିଁ |
· ଗ୍ରାସନଳୀରେ ପେରିଷ୍ଟାଲସିସ ଦ୍ଵାରା ଖାଦ୍ୟ ପାକସ୍ଥଳୀରେ ପହଞ୍ଚେ |
c. ପାକସ୍ଥଳୀ : -
· ପାକସ୍ଥଳୀ କାନ୍ଥରେ ରହିଥିବା ପେଶୀଗୁଡିକର ସଂକୋଚନ ଓ ପ୍ରସାରଣ ଦ୍ଵାରା ଖାଦ୍ୟ ଗୁଡିକର ବଡଖଣ୍ଡ ଗୁଡିକ ଭାଙ୍ଗିଯାଏ |
· ପାକସ୍ଥଳୀରୁ ନିସୃତ ପାଚକ ରସରେ ପେପସିନ୍ ଏବଂ ଲାଇପେଜ୍ ନାମକ ଏନଜାଇମ୍ ଥାଏ |
· ପେପସିନ୍ ଲବଣାମ୍ଲ ମାଧ୍ୟମରେ ସକ୍ରିୟ ଓ ପ୍ରୋଟିନ୍ ଖାଦ୍ୟକୁ ପ୍ରୋଟିଓଜେସ୍ ଓ ପେପଟୋନ୍ ପରିଣତ କରେ ଏବଂ ଲାଇପେଜ୍ , ସ୍ନେହସାର ଖାଦ୍ୟର ହଜମ କରିବାରେ ସାହାଯ୍ୟ କରେ |
d. ଗ୍ରହଣୀ : -
· ଯକୃତରୁ ଏବଂ ଅଗ୍ନ୍ୟାଶୟରୁ କ୍ଷରିତ ଯଥାକ୍ରମେ କ୍ଷରିତ ପିତ୍ତ ଓ ଅଗ୍ନାଶୟ ରସ ଗ୍ରହଣୀ ଦେଇ ଖାଦ୍ୟରେ ମିଶେ |
· ପିତ୍ତରେ ଏନଜାଇମ୍ ନ ଥାଏ ବରଂ ଏଥିରେ ପିତ୍ତଲବଣ ଖାଦ୍ୟର ଅମ୍ଳତ୍ବ ଦୂର କରେ ଓ ସ୍ନେହସାର ଖାଦ୍ୟର ଅବଦ୍ରବିକରଣ ବା ଇମଲସିଫିକେସନ କରାଇଥାଏ |
· ଅଗ୍ନାଶୟ ରସରେ ବିଭିନ୍ନ ପ୍ରକାର ଏନଜାଇମ୍ ରହିଛି |
e. ଜେଜୁନମ୍ ଓ ଇଲିୟମ୍ :-
· ଏହି ସ୍ଥାନରେ ସମସ୍ତ ଖାଦ୍ୟର ହଜମ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥାଏ |
· ଜେଜୁନମ୍ ଓ ଇଲିୟମ୍ ରୁ କ୍ଷରିତ ଆନ୍ତ୍ରିକ ରସ ହଜମ ହୋଇନଥିବା ଅବଶିଷ୍ଟ ଖାଦ୍ୟକୁ ସମ୍ପୂର୍ଣ୍ଣ ହଜମ କରିଥାନ୍ତି |
f. ବୃହଦନ୍ତ୍ର : -
· ଖାଦ୍ୟ ବୃହଦନ୍ତ୍ର ଠାରେ ପହଞ୍ଚିଲା ବେଳକୁ ଏହା ହଜମ ହୋଇ ସରଳୀକୃତ ଖାଦ୍ୟରେ ପରିଣତ ହୋଇଥାଏ | ତେଣୁ ଏଠାରେ କୌଣସି ପ୍ରକାର ହଜମ କ୍ରିୟା ହୋଇନଥାଏ |
2. ଅବଶୋଷଣ : -
· ସମସ୍ତ ସରଳୀକୃତ ଖାଦ୍ୟ , ଭିଟାମିନ , ଧାତବ ଲବଣ ଓ ଜଳ ଇତ୍ୟାଦି ଆହାରନଳୀର କାନ୍ଥବାଟ ଦେଇ ରକ୍ତ ମଧ୍ୟକୁ ପ୍ରବେଶ କରିବା ପ୍ରକ୍ରିୟାକୁ ଅବଶୋଷଣ କୁହାଯାଏ |
· ଏହି ପ୍ରକ୍ରିୟା ନିଷ୍କ୍ରିୟ ଅବଶୋଷଣ ଓ ସକ୍ରିୟ ଅବଶୋଷଣ ଦ୍ଵାରା ହୋଇଥାଏ |
· ମୁଖ ଗହ୍ଵରରେ ଖାଦ୍ଯ ପଦାର୍ଥର ଅବଶୋଷଣ ହୁଏ ନାହିଁ |
· ଶରୀର ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଉପାଦାନର ଅବଶୋଷଣ ପ୍ରକ୍ରିୟା ମୁଖ୍ୟତଃ କ୍ଷୁଦ୍ରାନ୍ତରେ ହୋଇଥାଏ |
· ବୃହଦନ୍ତରେ ଜଳ ଓ କେତେକ ଇଲେକଟ୍ରୋଲାଇଟ୍ ର ଅବଶୋଷଣ ହୋଇଥାଏ |
3. ଆତ୍ମୀକରଣ :
· ଅବଶୋଷଣ ପରେ ଖାଦ୍ୟ ରକ୍ତ ଦ୍ଵାରା ବାହିତ ହୋଇ ଶରୀରର ବିଭିନ୍ନ ଅଂଶରେ ରହିଥିବା କୋଷ ନିକଟରେ ପହଞ୍ଚେ ଏବଂ ଶକ୍ତି ମୋଚନ ସହିତ ଅନ୍ୟ କାର୍ଯ୍ୟରେ ବିନିଯୋଗ ହୋଇଥାଏ |
4. ମଳତ୍ୟାଗ
· ମଳଦ୍ଵାର ଚାରିପଟେ ରହିଥିବା ସଂକଚୋନ ପେଶୀର ଶିଥିଳନ, ମଳାଶୟ ପେଶୀର ସଂକୋଚନ, ଉଦର ପେଶୀ ଓ ମଧ୍ୟଚ୍ଛଦାର ସଂକଚୋନ ସହିତ ସାମୟିକ ଶ୍ଵାସ ବିରାମ ଏକକାଳୀନ ପ୍ରକ୍ରିୟା ଦ୍ଵାରା ମଳ ନିଷ୍କାସନ ହୋଇଥାଏ |