- SCHOOL BOARDS
- BSE/CHSE ODISHA
- CLASS 8
- SCIENCE
- ପ୍ରଥମ ଅଧ୍ୟାୟ : ଶସ୍ୟ ଉତ୍ପାଦନ ଓ ପରିଚାଳନା (Crop Production and Management)
- Shasya Utpadana O Parichalana (ଶସ୍ୟ ଉତ୍ପାଦନ ଓ ପରିଚାଳନା) Class 8 Science Chapter 1 - Note
Shasya Utpadana O Parichalana (ଶସ୍ୟ ଉତ୍ପାଦନ ଓ ପରିଚାଳନା) Class 8 Science Chapter 1 - Note
Language : Odia
Odia Medium Class 8 Science Chapter 1 Sashya Utpadana O Parichalana ( ଶସ୍ୟ ଉତ୍ପାଦନ ଓ ପରିଚାଳନା ) Notes
· ଖ୍ରୀଷ୍ଟପୂର୍ବ ୧୦ ହଜାର ବର୍ଷ ପର୍ଯ୍ୟନ୍ତ ଲୋକମାନେ ଯାଯାବର ଭାବେ ଜୀବନଯାପନ କରୁଥିଲେ | ସେମାନେ ବିଭିନ୍ନ ଗୋଷ୍ଠୀରେ ରହି ଖାଦ୍ୟ ପାଇଁ ଏଣେତେଣେ ବୁଲୁଥିଲେ ଏବଂ କଞ୍ଚାଫଳ ଓ ପନିପରିବା ଖାଉଥିଲେ | ପରେ ସେମାନେ ଜମି ଚାଷ କଲେ | ଧାନ, ଗହମ ଅନ୍ୟାନ୍ୟ ଶସ୍ୟଜାତୀୟ ପଦାର୍ଥ ଉତ୍ପାଦନ କଲେ | ଏହିପରି କୃଷିର ଆରମ୍ଭ ହେଲା |
· କୌଣସି ପ୍ରକାର ଗୋଟିଏ ଉଦ୍ଭିଦ ଗୋଟିଏ ସ୍ଥାନରେ ଉତ୍ପାଦନ ଓ ଅଧିକମାତ୍ରାରେ ଚାଷ କରିବାକୁ ଫସଲ କୁହାଯାଏ |
· ଭାରତ ଏକ ବୃହତ କୃଷିପ୍ରଧାନ ଦେଶ | ଜଳବାୟୁ, ତାପମାତ୍ରା, ଆର୍ଦ୍ରତା ଏହି ସବୁ ଅନୁସାରେ ବିଭିନ୍ନ ପ୍ରକାରର ଫସଲ ଉତ୍ପାଦନ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଦେଖାଯାଏ |
ଖରିଫ ଫସଲ :-
· ବର୍ଷାଦିନେ ଚାଷ କରାଯାଉଥିବା ଫସଲକୁ ଖରିଫ ଫସଲ କୁହାଯାଏ | ଭାରତରେ ବର୍ଷାଋତୁ ସାଧାରଣତଃ ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ | ଧାନ, ମକା, ଚିନାବାଦାମ, କପା,ଇତ୍ୟାଦି ଏହି ଜାତୀୟ ଫସଲ |
· ରବି ଫସଲ :- ଶୀତଦିନେ ଉତ୍ପାଦନ ହେଉଥିବା ଫସଲକୁ ରବି ଫସଲ କୁହାଯାଏ |ଭାରତରେ ଏହି ଫସଲ ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଷ କରାଯାଏ |
· ଗହମ, ବୁଟ, ମଟର, ସୋରିଷ ଇତ୍ୟାଦି ଏହି ଫସଲ ଅନ୍ତର୍ଭୁକ୍ତ | ଏତଦ୍ ବ୍ୟତୀତ ବିଭିନ୍ନ ସ୍ଥାନରେ ଡାଲି ଜାତୀୟ ଫସଲ ଏବଂ ପନିପରିବା ମଧ୍ୟ ଗ୍ରୀଷ୍ମ ଋତୁରେ ଉତ୍ପାଦନ କରାଯାଏ |
ଫସଲ ଉତ୍ପାଦନର ମୌଳିକ ପ୍ରଣାଳୀ :-
କୃଷି ପାଇଁ ବିଭିନ୍ନ କାର୍ଯ୍ୟ ଆବଶ୍ୟକ ହୁଏ, ଏହି ପ୍ରକାର କାର୍ଯ୍ୟକଳାପକୁ କୃଷି ପ୍ରଣାଳୀ କୁହାଯାଏ |
କୃଷି ପ୍ରଣାଳୀ ଗୁଡିକ ହେଲା –
- ମୃତ୍ତିକା ପ୍ରସ୍ତୁତି
- ମଞ୍ଜି ବୁଣା
- ଖତ ଏବଂ ସାର ପ୍ରୟୋଗ
- ଜଳସେଚନ
- ଅନାବନା ଗଛ ଦମନ
- ଅମଳ
- ସଂରକ୍ଷଣ
ମୃତ୍ତିକା ପ୍ରସ୍ତୁତି :-
· ଶସ୍ୟ ଉତ୍ପାଦନ ପୂର୍ବରୁ ମୃତ୍ତିକା ପ୍ରସ୍ତୁତି ହେଉଛି ପ୍ରାଥମିକ ସୋପାନ |
· କୃଷିର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାଟିକୁ ତଳ – ଉପର କରି ଏହାକୁ ଫସଫସିଆ ଏବଂ ହାଲୁକା କରିବା |
· ଫଳରେ ଚେର ମୃତ୍ତିକା ଭିତରେ ଗଭୀରକୁ ପ୍ରବେଶ କରିପାରେ | ହାଲୁକା ମୃତ୍ତିକା ଭିତରେ ଚେର ସହଜରେ ଶ୍ଵାସକ୍ରିୟା କରିପାରେ |
· ହାଲୁକା ମୃତ୍ତିକା ଜିଆ ଏବଂ ଅଣୁଜୀବ ବୃଦ୍ଧିରେ ସହାୟକ ହୁଏ | ଏହି ଜୀବଗୁଡିକ କୃଷକର ବନ୍ଧୁ ଅଟନ୍ତି |
· ଆହୁରି ମଧ୍ୟ ମାଟିକୁ ତଳ – ଉପର କରି ହାଲୁକା କରିବା ସହ ଖତିର ବା ହ୍ୟୁମସ୍ ବୃଦ୍ଧି କରନ୍ତି |
ଉପକରଣ :-
· ମଞ୍ଜି ବୁଣିବା ପୂର୍ବରୁ ଶସ୍ୟର ଆକାର ଆୟତନ ଅନୁଯାୟୀ ମୂର୍ତ୍ତିକାକୁ ଗୁଣ୍ଡ କଲେ ଅଧିକା ଅମଳ ମିଳେ |
· ବିଭିନ୍ନ ଉପକରଣ ଯଥା – ଲଙ୍ଗଳ, କୋଦାଳ ଓ କଲ୍ଟିଭେଟର ଦ୍ୱାରା ଏହି କାର୍ଯ୍ୟ କରାଯାଏ |
ଲଙ୍ଗଳ : -
· ବହୁ ପୁରାତନ କାଳରୁ ଜମି କର୍ଷଣ, ସାର, ବୁଣିବା ଏବଂ ଅନାବନା ଘାସ ଦମନ ପାଇଁ ହଳଲଙ୍ଗଳ ବ୍ୟବହାର କରାଯାଉଛି |
· ଏହି ଉପକରଣଟି କାଠରେ ତିଆରି ଏବଂ ଦୁଇଟି ବଳଦ, ଘୋଡା, ଓଟ କିମ୍ବା ମଇଁଷି ଏହାକୁ ଟାଣନ୍ତି |
· ଏଥିରେ ତ୍ରିଭୁଜାକୃତି ଏକ ଲୁହା ପ୍ଳେଟ ଥାଏ, ଯାହାକୁ ଲଙ୍ଗଳମୁଣ୍ଡା କୁହାଯାଏ |
· ଲଙ୍ଗଳର ଲମ୍ବା ଅଂଶଟିକୁ ଇଷ କୁହାଯାଏ ଓ ହାତରେ ଧରିଥିବା ଅଂଶକୁ କଣ୍ଟି କୁହାଯାଏ | ଇଷର ଅନ୍ୟ ପ୍ରାନ୍ତଟି ଜୁଆଳି ଦଉଡି ଦ୍ଵାରା ସଂଯୁକ୍ତ ଥାଏ |
କଲ୍ଟିଭେଟର : -
· ଆଜିକାଲି ଜମି ହଳ କରିବା ପାଇଁ ଟ୍ରାକ୍ଟର ଦ୍ଵାରା ଟଣାଯାଉଥିବା ଲଙ୍ଗଳ ବା କଲ୍ଟିଭେଟର ବ୍ୟବହାର କରାଯାଉଛି |
କୋଦାଳ : -
· ଏହି ଯନ୍ତ୍ର ଦ୍ଵାରା ମାଟିକୁ ହାଣି ହାଲୁକା କରିବା ସହ ଅନାବନା ଗଛ ସଫା କରଯାଏ | ଏଥିରେ ଏକ ଲମ୍ବା କାଠ, ବାଉଁଶ ବା ଲୁହାର ବେଣ୍ଟ ଲାଗିଥାଏ |
· ଏହି ବେଣ୍ଟରେ ଗୋଟିଏ ଚଉଡ଼ା ଓ ଆଂଶିକ ଲୁହା ପ୍ଳେଟ୍ ସଂଯୁକ୍ତ ହୋଇଥାଏ |
ମଞ୍ଜିବୁଣା : -
· ଫସଲ ଉତ୍ପାଦନରେ ମଞ୍ଜିବୁଣା ସବୁଠାରୁ ବେଶୀ ଗୁରୁତ୍ଵପୂର୍ଣ୍ଣ | ମଞ୍ଜି ବୁଣିବା ପୂର୍ବରୁ ଉନ୍ନତମାନର ବିହନ ବାଛିବା ଦରକାର |
· ନଷ୍ଟ ହୋଇଥିବା ବିହନଠାରୁ ଭଲ ବିହନ ଅଲଗା କରିବା ପାଇଁ ପାଣିରେ ଭସା ପଦ୍ଧତି ଏକ ଉତ୍କୃଷ୍ଟ ଉପାୟ |
ପାରମ୍ପରିକ ଯନ୍ତ୍ର : -
· ପାରମ୍ପାରିକ ପଦ୍ଧତିରେ ମଞ୍ଜି ବୁଣିବା ପାଇଁ କାହାଳୀ ସଦୃଶ ଏକ ଯନ୍ତ୍ର ବ୍ୟବହାର କରାଯାଉଥିଲା |
· କାହାଳୀ ମୁହଁରେ ଢଳା ହେଉଥିବା ମଞ୍ଜିଗୁଡିକ ଦୁଇ ବା ତିନୋଟି ସରୁ ପାଇପ୍ ଦ୍ୱାରା ମାଟି ଭିତରେ ପଡୁଥିଲା | ଏହିପରି ଭାବେ ମଞ୍ଜିବୁଣା କାର୍ଯ୍ୟ କରାଯାଉଥିଲା |
ମଞ୍ଜିବୁଣା ଡ୍ରିଲିଙ୍ଗ ଯନ୍ତ୍ର : -
· ଆଜିକାଲି ଟ୍ରାକ୍ଟରରେ ଖଞ୍ଜା ଯାଇଥିବା ବା ଡ୍ରିଲିଙ୍ଗ ଯନ୍ତ୍ର ଦ୍ୱାରା ମଞ୍ଜିବୁଣା କାର୍ଯ୍ୟ ହୋଇପାରୁଛି |
· ଏହି ଯନ୍ତ୍ରଦ୍ଵାରା ମଞ୍ଜିଗୁଡିକ ସମାନ ଭାବେ, ଠିକ ଦୂରତାରେ ଏବଂ ସମାନ ଗଭୀରତାରେ ପଡିଥାଏ |
ସାର ଓ ଖତ ପ୍ରୟୋଗ : -
· ମୃତ୍ତିକାରେ ଗଛ ହୃଷ୍ଟପୃଷ୍ଟ ହୋଇ ବଢିବା ପାଇଁ ଯେଉଁ ପୋଷକ ଅତିରିକ୍ତ ଭାବେ ପ୍ରୟୋଗ କରାଯାଏ , ତାହାକୁ ଖତ ଓ ସାର କୁହାଯାଏ |
. ମୃତ୍ତିକା ଉଦ୍ଭିଦକୁ ଖଣିଜ ପୋଷକ ଯୋଗାଇଥାଏ |
. ସାର ଦୁଇପ୍ରକାରର ହୋଇଥାଏ – ରାସାୟନିକ ସାର ଓ ଖତ
ରାସାୟନିକ ସାର : -
· ରାସାୟନିକ ସାର ଏକ ଅଜୈବିକ ଲବଣ |
· ରାସାୟନିକ ସାର କାରଖାନାରେ ପ୍ରସ୍ତୁତ ହୁଏ |
· ରାସାୟନିକ ସାର ମୃତ୍ତିକାକୁ କୌଣସି ହ୍ୟୁମସ୍ ଦେଇନଥାଏ |
· ରାସାୟନିକ ସାର ଉଦ୍ଭିଦ ପୋଷକ ଯଥା – ଯବକ୍ଷାରଜାନ, ଫସଫରସ ଏବଂ ପୋଟାସିୟମ ଆଦିରେ ପରିପୂର୍ଣ୍ଣ ହୋଇଥାଏ |
ଖତ : -
· ଖତ ଏକ ପ୍ରାକୃତିକ ପଦାର୍ଥ ଯାହାକି ଗୋବର, ମନୁଷ୍ୟର ବର୍ଜ୍ୟବସ୍ତୁ ଓ ଉଦ୍ଭିଦ ଅବଶେଷର ବିଘଟନରୁ ମିଳିଥାଏ |
· ଖତ ଜମିରେ ପ୍ରସ୍ତୁତ ହୁଏ |
· ଖତ ମୃତ୍ତିକାକୁ ପ୍ରଚୁର ପରିମାଣରେ ହ୍ୟୁମସ୍ ଯୋଗାଇଥାଏ |
· ଖତରେ ଉଦ୍ଭିଦ ପୋଷକ ଅପେକ୍ଷାକୃତ କମ ପରିମାଣରେ ଥାଏ |
ଜଳସେଚନ :-
· ବଞ୍ଚିବା ପାଇଁ ପ୍ରତ୍ଯେକ ଜୀବ ଜଳ ଆବଶ୍ୟକ କରେ | ଫୁଲ , ଫଳ ଏବଂ ମଞ୍ଜିର ସମୁଚିତ ବୃଦ୍ଧି ଓ ବିକାଶ ପାଇଁ ଜଳ ଆବଶ୍ୟକ |
· ଚେର ଦ୍ଵାରା ଜଳ ଅବଶୋଷିତ ହୁଏ | ଜଳ ସହିତ ଖଣିଜ ଲବଣ ଓ ରାସାୟନିକ ସାର ମଧ୍ୟ ଅବଶୋଷିତ ହୁଏ |
· ଉଦ୍ଭିଦ ଶରୀରରେ ୯୦ ଭାଗ ଜଳ ରହିଛି | ଜଳ ଦ୍ଵାରା ମଞ୍ଜି ଗଜା ହୁଏ, ପୋଷକପଦାର୍ଥ ଜଳରେ ଦ୍ରବୀଭୂତ ହୋଇ ଉଦ୍ଭିଦର ପ୍ରତ୍ୟେକ ଅଂଶରେ ପହଞ୍ଚେ |
· ଜଳ ଫସଲକୁ ଉଭୟ ହିମପାତ ଏବଂ ଉତ୍ତପ୍ତ ବାୟୁପ୍ରବାହାରୁ ରକ୍ଷା କରେ |
· ସୁସ୍ଥ ଫସଲ ବୃଦ୍ଧି ପାଇଁ ଜମିର ଆର୍ଦ୍ରତା ରକ୍ଷା କରିବା ଆବଶ୍ୟକ | ଏହା ନିୟମିତ ଜଳସେଚନ ଦ୍ଵାରା ସମ୍ଭବ |
ଜଳସେଚନର ଉତ୍ସ : -
ଜଳସେଚନର ଉତ୍ସଗୁଡିକ ହେଉଛି – କୂପ , ନଳକୂପ, ପୋଖରୀ , ହ୍ରଦ , ନଦୀ, ଜଳଭଣ୍ଡାର ଏବଂ କେନାଲ |
ପୁରାତନ ପଦ୍ଧତିଗୁଡିକ ହେଲା : -
- ମୋଟ (ପୁଳି ପଦ୍ଧତି)
- ଚେନ ପମ୍ପ୍
- ତେଣ୍ଡା
- ଲିଭର୍ ପଦ୍ଧତି
ଆଧୁନିକ ଜଳସେଚନ ପଦ୍ଧତି : -
· ଆଧୁନିକ ଜଳସେଚନ ପଦ୍ଧତିରେ କମ୍ ଜଳ ବ୍ୟବହାର ହୁଏ |
· ସ୍ଫ୍ରିଙ୍କଲର ପଦ୍ଧତି ବା ଛିଞ୍ଚା ପଦ୍ଧତି :-
· ପର୍ଯ୍ୟାପ୍ତ ଜଳ ପାଉନଥିବା ଅସମତଳ ସ୍ଥାନରେ ଏହି ପଦ୍ଧତିରେ ଜଳସେଚନ କରାଯାଏ |
· ଲମ୍ବା ପାଇପ୍ ରେ ନିର୍ଦ୍ଧିଷ୍ଟ ବ୍ଯବଧାନରେ ଘୂର୍ଣ୍ଣାୟମାନ ନୋଜଲ୍ ଖଞ୍ଜା ଯାଇଥାଏ |
ବୁନ୍ଦା ପଦ୍ଧତି :-
· ଏହି ପଦ୍ଧତିରେ ଜଳ ବିନ୍ଦୁ ବିନ୍ଦୁ ହୋଇ ଉଦ୍ଭିଦ ମୂଳରେ ପଡିଥାଏ | ଏହାକୁ ବୁନ୍ଦା ବା ଡ୍ରପ୍ ଜଳସେଚନ ପଦ୍ଧତି କୁହାଯାଏ |
ତୃଣକ ଦମନ : -
· କୃଷକ ବିଭିନ୍ନ ଉପାଯରେ ତୃଣକ ଦମନ କରେ | ମଞ୍ଜି ବୁଣିବା ପୂର୍ବରୁ ଏଗୁଡିକ ହଳଦ୍ଵାରା ଉପୁଡିଯାଆନ୍ତି ଓ ଶୁଖି ମାଟିରେ ମିଶିଯାଆନ୍ତି |
· ଜମିରେ ଅନାବଶ୍ୟକ ଉଦ୍ଭିଦ ଆପେ ଆପେ ବଢିଥାଆନ୍ତି, ଏହାକୁ ତୃଣକ କୁହାଯାଏ |
· ଏଗୁଡ଼ିକୁ ଜମିରୁ ନିର୍ମୂଳ କରିବାକୁ ତୃଣକ ଦମନ କୁହାଯାଏ |
ଅମଳ : -
· ପାକଳ ଫସଲକୁ କାଟି ଖଳାକୁ ଅମଳ କୁହାଯାଏ |
· ଫସଲ ଗଛକୁ ଉପୁଡା ଯନ୍ତ୍ର ବା ଫସଲକଟା ମେସିନ୍ ଦ୍ଵାରା ମୂଳଠାରୁ ୩ – ୪ ସେ.ମି. ଉପରକୁ କଟାଯାଇଥାଏ |
· ଶସ୍ୟ ଜାତୀୟ ଫସଲକୁ ପବନରେ ଉଡାଇ ଅଗାଡି ଓ ଧୂପ ଅଲଗା କରାଯାଏ |
· “କମ୍ବାଇନ” ନାମକ ମେସିନ୍ ଦ୍ଵାରା ଆଜିକାଲି ଉଭୟ ଧାନ କାଟିବା ଓ ଉଡାଇବା କାର୍ଯ୍ୟ ହୋଇପାରୁଛି |
· ଅମଳ ହୋଇଥିବା ଦାନାକୁ କୁଲା ବା ମେସିନ୍ ସାହାଯ୍ୟରେ ଉଡାଇ ଅଗାଡି ଅଲଗା କରି ମଞ୍ଜି ସଂଗ୍ରହ କରିବାକୁ ଉଇନୋଇଙ୍ଗ କୁହାଯାଏ |
ଅମଳ ଉତ୍ସବ : -
· ୩ ରୁ ୪ ମାସ କଠିନ ପରିଶ୍ରମ ପରେ ଫସଲ ଅମଳ ସମୟ ଆସେ | ଗତ ଋତୁରେ କଠିନ ପରିଶ୍ରମ ଉପଯୁକ୍ତ ଫଳ ଦେଇଥିବାରୁ ଅମଳ ପରେ ପରେ ବିଶ୍ରାମ ନେବା ଓ ମଉଜ କରିବାରେ କୃଷକ ମନ ବଳାଇଥାଏ |
· ଅମଳ ସମୟ ସାରା ଭାରତରେ ଆନନ୍ଦ ଉଲ୍ଲାସର ସମୟ | ଏହି ସମୟରେ ପୋଙ୍ଗଲ , ବୈଶାଖୀ, ହୋଲି, ଦିପାବଳୀ , ନୂଆଖାଇ ଓ ବିହୁ ଆଦି ପର୍ବ ପାଳିତ ହୁଏ |
ସଂରକ୍ଷଣ : -
· ଅମଳ ପରେ ଶସ୍ୟକୁ ସାଇତି ରଖିବା ଆବଶ୍ୟକ ପଡେ |
· ଏଗୁଡ଼ିକୁ ଆର୍ଦ୍ରତା, କୀଟ, ମୂଷା ଏବଂ ଅନୁଜୀବଠାରୁ ଦୂରେଇ ରଖିବା ଭଲ |
· ସଦ୍ୟ ଅମଳ ହୋଇଥିବା ଶସ୍ୟକୁ ଖରରେ ଶୁଖାଇ ନ ରଖିଲେ ସେଗୁଡିକ ଅଣୁଜୀବ ଦ୍ଵାରା ନଷ୍ଟ ହୋଇଯାଏ ଓ ଅଙ୍କୁରଣ କ୍ଷମତା ହରାଏ |
· ଶସ୍ୟ ସଂରକ୍ଷଣ ପୂର୍ବରୁ ଖରାରେ ଭଲ ଭାବରେ ଶୁଖାଇ ଆର୍ଦ୍ରତା ହ୍ରାସ କରିବାକୁ ପଡେ |
· ଶୁଖିଲା ନିମପତ୍ର ବ୍ୟବହାର କରି ଘରେ ଖାଦ୍ୟଶସ୍ୟ ସାଇତି ରଖାଯାଏ |
ପ୍ରାଣୀଙ୍କଠାରୁ ମିଳୁଥିବା ଖାଦ୍ୟ : -
· ଘରେ କିମ୍ବା ଫାର୍ମରେ ପଶୁମାନଙ୍କୁ ଉପଯୁକ୍ତ ଖାଦ୍ୟ ଓ ରହିବା ସ୍ଥାନ ଯୋଗାଇ ଯତ୍ନର ସହ ରଖିବାକୁ ପଶୁପାଳନ କୁହାଯାଏ |
· ମାଛ ସ୍ୱାସ୍ଥ୍ୟ ପାଇଁ ଭଲ | ଆମେ ମାଛରୁ କଡ଼ ଲିଭର୍ ତେଲ ପାଉ | ଏହା “ଭିଟାମିନ ଡି” ପରିପୂର୍ଣ୍ଣ |